ହିଂସା ସୁଯୋଗ ନାହିଁ; କୋରାପୁଟ ଛାଡ଼ିଲେ ନକ୍ସଲ

Spread the love

ହିଂସା ସୁଯୋଗ ନାହିଁ; କୋରାପୁଟ ଛାଡ଼ିଲେ ନକ୍ସଲ

କୋରାପୁଟ: ଓଡ଼ିଶାର ମାଲକାନଗିରି ପରେ ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ଥିଲା କୋରାପୁଟ। ଅଧାରୁ ଅଧିକ ବ୍ଲକ ନକ୍ସଲଙ୍କ ନିୟନ୍ତ୍ରଣରେ ରହିଥିଲା। କିନ୍ତୁ କିଛି ବର୍ଷ ହେଲା କୋରାପୁଟ ଜିଲ୍ଲାରେ ଅସ୍ତିତ୍ବ ଜାହିର କରିବାକୁ ସଂଘର୍ଷ କରୁଛନ୍ତି ନକ୍ସଲ। ଗତିବିଧି ସଂପୂର୍ଣ୍ଣ କମି ଯାଇଛି। ନନ୍ଦପୁର ଏବଂ ବୈପାରିଗୁଡ଼ା ବ୍ଲକରେ ଯଦିଓ ସାମାନ୍ୟ ଗତିବିଧି ରହିଛି, ତେବେ ହିଂସା ଘଟାଇବା ପାଇଁ ଆଦୌ ସୁଯୋଗ ପାଉନାହାନ୍ତି।
ଜିଲ୍ଲାର ବିକାଶରେ ଅନ୍ତରାୟ ସାଜିଥିଲେ ନକ୍ସଲ। ବନ୍ଧୁକ ମୁନରେ ସମାନ୍ତରାଳ ଶାସନ କରୁଥିଲେ। ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଭୟ କିମ୍ବା ପ୍ରଲୋଭିତ କରି ସମର୍ଥନ ଜୁଟାଉଥିଲେ। କିନ୍ତୁ ବିକାଶର ସ୍ବାଦ ଚାଖିବା ପରେ ଦୁର୍ଗମ ଅଞ୍ଚଳର ଲୋକ ଆଉ ନକ୍ସଲଙ୍କୁ ସମର୍ଥନ କରୁନାହାନ୍ତି। ସେହିପରି କୋରାପୁଟ ଜିଲ୍ଲାରୁ ବହୁ ସଂଖ୍ୟାରେ ଯୁବକ, ଯୁବତୀ ପଥଭ୍ରଷ୍ଟ ହୋଇ ପୂର୍ବରୁ ନକ୍ସଲ ସଂଗଠନ‌ରେ ସାମିଲ ହେଉଥିଲେ। ସେଥିରେ ବି ରୋକ୍‌ ଲଗାଇବାରେ ପୁଲିସ ଓ ପ୍ରଶାସନ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଯେଉଁ କିଛି ଟପ୍‌ କ୍ୟାଡର ନକ୍ସଲ ଥିଲେ ସେମାନେ ଆତ୍ମସମର୍ପଣ କରିବା ପରେ ସଂଗଠନ ଶକ୍ତି ହରାଇଛି। ତଥାପି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପୁଣି ପାଦ ଜମାଇବା ପାଇଁ ସୁଯୋଗ ଖୋଜୁଛନ୍ତି ନକ୍ସଲ। ଯାହାର ସୂଚନା ମିଳିବା ମାତ୍ରେ ଅପରେସନ୍‌ ହେଉଛି ବୋଲି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂ କହିଛନ୍ତି। ଶାନ୍ତି ଫେରିବା ପରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହୋଇଛି।
ପାଖାପାଖି ୭ବର୍ଷ ତ‌ଳେ ନାରାୟଣପାଟଣାର ଡକରି ଘାଟିରେ ପୁଲିସ ଗୁଳିରେ ୪ ମହିଳା ନକ୍ସଲ ନିହତ ହୋଇଥିଲେ। ଏହି ଅପରେସନ୍‌ ପରେ ନାରାୟଣପାଟଣା ଛାଡ଼ିବାକୁ ବାଧ୍ୟ ହୋଇଥିଲେ ନକ୍ସଲ। ନନ୍ଦପୁର ଓ ପଟାଙ୍ଗି ଅଞ୍ଚଳକୁ ପଳାୟନ କରି ସଂଗଠନକୁ ପୁଣି ବଳ ଦେବାକୁ ପ୍ରୟାସ କରିଥିଲେ। ଶକ୍ତି ପ୍ରଦର୍ଶନ ଉଦ୍ଦେଶ୍ୟରେ ସୁଙ୍କି ଘାଟି ନିକଟରେ ବିସ୍ଫୋରଣ କରିବାରୁ ୮ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। କିନ୍ତୁ ଏହି ଘଟଣା ପରେ ପଟାଙ୍ଗି ଅଞ୍ଚଳରୁ ତଡ଼ା ଖାଇଥିଲେ। ଯାହାଫଳରେ ପଟାଙ୍ଗି-ନନ୍ଦପୁର-ଲମତାପୁଟ ନୂଆ କରିଡର କରିଥିଲେ। ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟି ନେତୃତ୍ବରେ ନନ୍ଦପୁର ଏରିଆ କମିଟି ଏହି ଅଞ୍ଚଳରେ ସକ୍ରିୟ ହୋଇଥିଲା। ଭୌଗୋଳିକ ଦୃଷ୍ଟିରୁ ନକ୍ସଲଙ୍କ ପାଇଁ ଏହି ନୂଆ କରିଡର୍‌ ସୁରକ୍ଷିତ ଥିଲା। କାରଣ ହିଂସା ଘଟାଇବା ପରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ କିମ୍ବା ଆନ୍ଧ୍ର ଯିବାକୁ ମାତ୍ର କିଛି ଘଣ୍ଟା ଲାଗୁଥିଲା। କିନ୍ତୁ ଏହି କରିଡର୍‌ ବି ନକ୍ସଲଙ୍କ ପାଇଁ ସୁରକ୍ଷିତ ହୋଇ ରହିଲା ନାହିଁ। ୨୦୨୦ ମେ’ ମାସରେ ନନ୍ଦପୁର ବ୍ଲକ୍‌ କିତବା ଜଙ୍ଗଲରେ ୫ ନକ୍ସଲ ନିହତ ହେଲେ। ଯୋଜନାବଦ୍ଧ ଭାବେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ସୁରକ୍ଷାକର୍ମୀ ସଫା କରିବା ପରେ କୋରାପୁଟ ଜିଲ୍ଲା ଏକପ୍ରକାର ନକ୍ସଲମୁକ୍ତ ହୋଇଯାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *