ବିଧାୟକଙ୍କ ଦ୍ୱାରା ଆହତ ବାଇକ୍ ଚାଳକ ଉଦ୍ଧାର, ସମୟୋଚିତ ସହଯୋଗର ଦୃଷ୍ଟାନ୍ତ


ଲକ୍ଷ୍ମୀପୁର, ୧୭ ଜୁଲାଇ (ସିମାଦ୍ରୀ): ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବନ୍ଦିକାର ଘାଟି ନିକଟରେ ଜଣେ ବାଇକ୍ ଚାଳକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ହେବା ସତ୍ୱେ ଲୋକେ ଉପେକ୍ଷା କରୁଥିବା ବେଳେ, ଏହି ଦୃଶ୍ୟ ଦେଖି ଲକ୍ଷ୍ମୀପୁର ବ୍ଲକ କର୍ମଚାରୀ ଆଶିଷ ଗରଡ଼ା ତୁରନ୍ତ ସୋସିଆଲ ମିଡିଆରେ ଅପଲୋଡ କରି ବିଧାୟକ ପବିତ୍ର ସାଉଁତାଙ୍କୁ ଖବର ଦେଇଥିଲେ। ବିଧାୟକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଅକ୍ଷୟ ହିକକାଙ୍କୁ ନିଜ ଗାଡ଼ିରେ ଲକ୍ଷ୍ମୀପୁର ଡାକ୍ତରଖାନାକୁ ନେଇଥିଲେ।

ଉସକାବେଟା ଗାଁ ଅଂତର୍ଗତ ଏହି ଯୁବକ ବିଶାଖାପାଟଣାରେ ଗାଡ଼ି ଚଳାଉଥିଲେ ଏବଂ ତିନି ଦିନ ତଳେ ଗାଁକୁ ଫେରିଥିଲେ। ବେକ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଅବସ୍ଥାରେ ଚିକିତ୍ସା ପରେ ତାଙ୍କୁ କୋରାପୁଟ ମେଡିକାଲ ମେଡିସିନ୍ ହସ୍ପିଟାଲକୁ ପଠାଯାଇଥିଲା। ବିଧାୟକ ନିଜେ ତାଙ୍କ ପରିବାର ସହିତ ସଂଯୋଗ କରି ସୂଚନା ଦେଇଥିଲେ।

ଘଟଣାସ୍ଥଳରେ ଆଇଆଇସି ସୁଜ୍ଞାନୀ ସାହୁ, ଏସ୍‌ଆଇ ମାନସ ପ୍ରଧାନ, ଏଏଆଇ ପ୍ରତାପ ଦଣ୍ଡସେନା ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲେ। ପୂର୍ବତନ ସାଂସଦ ଝିନ ହିକକା ମଧ୍ୟ ହସ୍ପିଟାଲ ପହଞ୍ଚି ପରିବାର ସହ ଆଲୋଚନା କରିଥିଲେ। ବିଧାୟକଙ୍କ ଏହି ମହତ କାମ ନେଇ ସାଧାରଣ ଜନମାନସ ମଧ୍ୟରେ ବିଶେଷ ପ୍ରଶଂସା ମିଳୁଛି।

Leave a Reply

Your email address will not be published. Required fields are marked *