
କୋରାପୁଟ, ୨୧/୭ କୋରାପୁଟ ସହରରୁ କେବଳ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ବଡସୁକୁ ପଞ୍ଚାୟତ ଅଞ୍ଚଳର ଲୋକମାନଙ୍କ ପାଇଁ ଏବେ ଯାତାୟାତ ଏବଂ ଆର୍ଥିକ ସୁବିଧା ନେଇ ଏକ ନୂଆ ଆଶା ଆସିଛି। ଲମତାପୁଟ ବ୍ଲକର ବଡସୁକୁ, ଘାତମୁନ୍ଦା, କାଲଚୁର, ଭୋଇଗୁଡା ପରି ଗ୍ରାମର ଲୋକମାନେ କୋରାପୁଟ ପହଞ୍ଚିବା ପାଇଁ ପ୍ରତିଦିନ ପ୍ରାୟ ୭୦ କି.ମି ବୁଲି ଯିବାକୁ ବାଧ୍ୟ ହୁଅନ୍ତି। ଏହି ଅସୁବିଧାର ସମାଧାନ ପାଇଁ କୋଲାବ ଜଳଭଣ୍ଡାର ଉପରେ ଏକ ବୃହତ ସେତୁ ନିର୍ମାଣ କାମ ଚାଲିଛି।

ଏହି ୬୩୦ ମିଟର ଲମ୍ବ ଓ ୬୬.୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ପୋଲର କାମ ଗତିଶୀଳ ଅବସ୍ଥାରେ ରହିଛି। ଆଜି ଏହି ପୋଲର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରି କାର୍ଯ୍ୟରତ ଶ୍ରମିକମାନଙ୍କ ସହ ଆଲୋଚନା କରାଗଲା।

ଏହି ଅବସରରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, କୋଟପାଡ ବିଧାୟକ ଶ୍ରୀ ରୁପୁ ଭତ୍ରା ଓ ଜିଲ୍ଲା ପ୍ରଶାସନ ଉପସ୍ଥିତ ଥିଲେ।
ସେତୁ ନିର୍ମାଣ ଶେଷ ହେଲା ପରେ, ଏହା ନା କେବଳ ବଡସୁକୁ ପଞ୍ଚାୟତ ବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବ, ବରଂ ସେମାନଙ୍କ ଯାତ୍ରା ସମୟ, ଖର୍ଚ୍ଚ ଓ ସମସ୍ୟା ବି ହ୍ରାସ ପାଇବ।

ଏହି ପୋଲ ମାଧ୍ୟମରେ ଲମତାପୁଟ, ନନ୍ଦପୁର ଓ କୋରାପୁଟ ବ୍ଲକର ଲୋକମାନେ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଅଧିକ ସୁବିଧା ଓ ଦ୍ରୁତ ବିକାଶ ପାଇବେ। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏକ ନୂଆ ଦିଗ ଖୋଲିବା ସହ ବ୍ଲକ ଓ ଗ୍ରାମ ଅଞ୍ଚଳକୁ ମୁଖ୍ୟ ଶହର ସହ ଜୋଡିବା ଦିଗରେ ଏକ ମାଇଲସ୍ଟୋନ ଭାବରେ ପ୍ରତିଷ୍ଠିତ ହେବ।

Leave a Reply