ଘୋଷଣାରେ ଅଟକିଲା ଗୁପ୍ତେଶ୍ବର ଜୈବବିବିଧତା ଐତିହ୍ୟସ୍ଥଳ l

ଘୋଷଣାରେ ଅଟକିଲା ଗୁପ୍ତେଶ୍ବର ଜୈବବିବିଧତା ଐତିହ୍ୟସ୍ଥଳ


କୋରାପୁଟ: ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗତ ବର୍ଷ ୨୦୨୪ ପେବ୍ରୁଆରି ୮ତାରିଖ ଦିନ ରାଜ୍ୟର ଚତୁର୍ଥ ଜୈବବିବିଧତା ଐତିହ୍ୟସ୍ଥଳ ଭାବେ ଗୁପ୍ତେଶ୍ବର ଜଙ୍ଗଲ, ପୀଠକୁ ଲାଗି ରହିଥିବା ୧୪ଟି ପଂଚାୟତକୁ ଘୋଷଣା କରିଥିଲେ। ୧୧ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେଭଳି ଉଦ୍ୟମ କରାଯାଇ ବିଭିନ୍ନ ପ୍ରକ୍ରିୟା କରାଯିବା କଥା ତାହା ଏଯାଏଁ ଆରମ୍ଭ ହୋଇପାରିନି।
ପ୍ରକ୍ରିୟା ଅନୁଯାୟୀ, ଗୁପ୍ତେଶ୍ବର ପୀଠ କେନ୍ଦ୍ରସ୍ଥଳୀରେ ରହିବ। ଗୁପ୍ତେଶ୍ୱରକୁ ଲାଗି ରହିଥିବା ୧୪ଟି ପଞ୍ଚାୟତକୁ ବଛା ଯାଇ ସେଠାରେ ଲୋକଙ୍କ ଜୈବବିବିଧତା ଖତିୟାନ୍ (ପିପୁଲ୍ସ ବାୟୋ ଡାଇଭରସିଟି ରେଜିଷ୍ଟର) ପ୍ରସ୍ତୁତ କରାଯିବାକୁ ଚିହ୍ନଟ କରାଯାଇଛି।
ବଛାଯାଇଥିବା ୧୪ଟି ପଞ୍ଚାୟତ ଭିତରେ ରହିଛି କାଠପଡ଼ା, ପେଣ୍ଡାପୋଡ଼ା, ଚିପାକୋର, ତେନ୍ତୁଳିଗୁମ୍ମା, ଚେରକା, କେନ୍ଦୁଗୁଡ଼ା, କୋଲାର, ମାଠପଡ଼ା, ଦୋରାଗୁଡ଼ା, ଦଶମନ୍ତପୁର, ମାଝିଗୁଡ଼ା, ପୂଜାରୀଗୁଡ଼ା, ଫୁଲଭଟା ଓ ଗୁଣ୍ଡଳ। ଏସବୁ ପଞ୍ଚାୟତରେ ଏଣିକି ଲୋକମାନେ ନିଜ ନିଜ ଅଞ୍ଚଳରେ ମିଳୁଥିବା ଜୈବବିବିଧତାର ନଥିପତ୍ର ପ୍ରସ୍ତୁତ କରିବେ। ଉକ୍ତ ତଥ୍ୟକୁ ଭିତ୍ତି କରି ପରବର୍ତ୍ତୀ ସମୟରେ ସ୍ଥାନୀୟ ଜୈବବିବିଧତାର ସଂରକ୍ଷଣ ଓ ପରିଚାଳନା କମିଟି ଜରିଆରେ କରାଯିବ।
ଏହି କମିଟି ଜରିଆରେ ଅଂଚଳ ବାସୀ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରୀ କରିବେ । ଏଥି ପାଇଁ ସରକାର ଉତ୍ତମ ବଜାର ଯୋଗାଇବେ। କମିଟିରେ ଅର୍ନ୍ତଭୁକ୍ତ ଗ୍ରାମବାସୀ ମାନେ ବେଆଇନ ପଶୁ ପକ୍ଷୀ ଶୀକାର, ପଥର, ମାଟି, ଖଣିଜ ପଦାର୍ଥ ଖୋଳା ଓ ବନାଗ୍ନୀକୁ ରୋକିବା ସହ ଭଗବାନ ଦେଇଥିବା ପ୍ରାକୃତିକ ସଂପଦର ସଂପୁର୍ଣ୍ଣ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବନବିଭାଗ ସହ ଦେବେ। ଏହା ବାଦେ ଏହି ୧୪ପଂଚାୟତବାସୀଙ୍କ ଆର୍ଥିକସ୍ତରରେ ସ୍ବଚ୍ଛଳ ହେବା ସହ ନିଜ ଅଂଚଳକୁ ବଂଚାଇବା ପାଇଁ ସଂପୃକ୍ତି ହେବା ସହ ଅଂଚଳର ବିକାଶ ହେବା ଲକ୍ଷ୍ୟ ରହିଛି।
ପ୍ରକାଶଯୋଗ୍ୟ, ୨୦୨୧ମସିହାରୁ ପ୍ରୟାସ ଆରମ୍ଭ କରି ବର୍ଷକ ତଳେ ଗୁପ୍ତେଶ୍ବର ଜଙ୍ଗଲ ଓ ପୀଠକୁ କେନ୍ଦ୍ର କରି ୩୦କିଲୋମିଟର ପରିଧି ୩୦୫ହେକ୍ଟର ଅଂଚଳକୁ ରାଜ୍ୟର ତୃତୀୟ ଜୈବବିବିଧତା ଐତିହ୍ୟସ୍ଥଳ ଭାବେ ଘୋଷଣା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ଅଂଚଳରେ ୬୦୮ ପ୍ରଜାତି ପ୍ରାଣୀ ସମୁହ, ୬୧୫ପ୍ରଜାତିର ଫୁଲ ଗଛ, ୭୬ପ୍ରଜାତିର ଗୁଳ୍ମ, ୧୭୭ ପ୍ରଜାତିର ବହୁ ଔଷଧୀୟ ଗୁଳ୍ମ, ୭୬୯ପ୍ରଜାତିର ଲତା, ୧୪ପ୍ରଜାତିର ଅର୍ଚଡ୍, ୧୮୮ପ୍ରଜାତିର ପକ୍ଷୀ, ୨୮ଟି ସ୍ତନ୍ୟପାୟୀ ପ୍ରାଣୀ, ୧୮୮ଟି ପକ୍ଷୀ, ୪୮ଟି ସରିସୃପ, ୪୫ଟି ପିସ୍ , ୧୪୧ପ୍ରଜାତିର ପ୍ରଜାପତି, ୪୧ଟି ଓଡନେଟ, ୩୦ପ୍ରଜାତିର ଝିଟିପିଟ, ୬ପ୍ରଜାତିର ବିଛା, ୧୮୨ରକମର ଗଛ, ୧୭୭ରକର ଔଷଧୀୟ ଗୁଳ୍ମ ଏବଂ ତା ବାଦେ ଜଙ୍ଗଲରୁ ମହୁ, ଝୁଣା, ହରିଡା, ବାହଡା, ଜୀବଶ୍ମସ୍ତର, ପଥର ସହ କୁମ୍ଭୀର ବି ରହିଥିବା ସର୍ଭେ ବେଳେ ଜଣାପଡିଥିଲା। ଏସବୁ ସହ ବସବାସ କରୁଥିବା ଆଦିବାସୀ, ବନବାସୀଙ୍କ ଜୀବନଶୌଳୀ, ପରମ୍ପରା, ଐତିହ୍ୟ, ଇତିହାସ ଆଦିକୁ ନେଇ ପ୍ରକଳ୍ପ ଇନିଭିଷ୍ଟେଗେଟର ଟିମ୍ ୨୦୨୧ମସିହା ଅକ୍ଟୋବରରେ ଆସି ୨୦୨୨ମସିହା ସେପ୍ଟେମ୍ବର ରହି ସମସ୍ତ ଦିଗକୁ ଅନୁଧ୍ୟାନ, ନିରୀକ୍ଷଣ, ଅଙ୍ଗେ ନିଭାଇବା ସହ ଅଧ୍ୟୟନ କରି ଜ‌ୈବ ବିବିଧତା ନିୟମ-୨୦୦୨ ଅନୁଯାୟୀ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ।
ତତ୍କାଳୀନ ବନଖଣ୍ଡ ଅଧିକାରୀଙ୍କ ଜରିଆରେ ଏହି ଡ୍ରାଫ୍ଟ ରାଜ୍ୟସରକାରଙ୍କୁ ପ୍ରଦାନ କରାଯିବା ସହ ଏହାକୁ ଜାତୀୟ ଜୈବ ବିବିଧତା ପ୍ରାଧିକରଣ (ନ୍ୟାସନାଲ ବାଇଓ ଡାଇଭେରସିଟି )ରେ ଦାଖଲ କରିଥିଲେ। ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଅନୁଧ୍ୟାନ ସହ ଅନ‌ୁମୋଦନ କରି ଜୈବବିବିଧତା ଐତିହ୍ୟସ୍ଥଳ ଭାବେ ଗତ ୨୦୨୪ମସିହା ଫେବ୍ରୁଆରି ୮ତାରିଖ ଦିନ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ବିଞପ୍ତି ପ୍ରକାଶ କରିଥିଲେ।
ଏହି ପ୍ରକ୍ରିୟାକୁ ମଙ୍ଗଳବାର ଠାରୁ ଆରମ୍ଭ କରିବା ଯୋଜନା ରହିଥିବା କହିଛନ୍ତି ‌ଜୟପୁର ଡିଏଫଓ ପ୍ରତାପ କୁମାର ବେହେରା। ଆସନ୍ତା ୬ମାସ ଧରି ୧୪ଟି ପଂଚାୟତବାସୀ, କମିଟି ସଭ୍ୟ ଆଦିଙ୍କୁ ତାଲିମ ପ୍ରଦାନ କରାଯିବ। ୬ମାସ‌ ପରେ ହିଁ ସମ୍ପୁର୍ଣ୍ଣ କାର୍ଯ୍ୟକାରୀ ହୋଇପାରିବ ବୋଲି କହିଛନ୍ତି ଡିଏଫଓ।

Leave a Reply

Your email address will not be published. Required fields are marked *