
କୋରାପୁଟ, ୨୯/୭ କୋରାପୁଟ ସହରରେ ଜଣେ ନାବାଳିକା ଉପରେ ଦୁଷ୍କର୍ମ ଘଟିଥିବା ଘଟଣାରେ ଏକ ନୂଆ ମାମଲା ରୁଜୁ ହୋଇଛି। ସହରର ପୂଜାରୀପୁଟ ବେବର୍ତ୍ତା କଲୋନିର ୨୦ ବର୍ଷ ବୟସ୍କ ସୁଶିଳ ହରୀଜନ ନାମକ ଯୁବକ ଉପରେ ଏହି ଅଭିଯୋଗ ଲାଗିଛି।
ପୁଲିସ ସୂଚନା ଅନୁଯାୟୀ, ଗତ ୨୬ ତାରିଖ ସନ୍ଧ୍ୟାରୁ ଏହି ନାବାଳିକା ଗୃହରୁ ନିଖୋଜ ଥିଲେ। ରବିବାର ସେ ଘରକୁ ଫେରି ତାଙ୍କର ପରିବାରକୁ କହିଥିଲେ ଯେ ସୁଶିଳ ହରୀଜନ ତାଙ୍କୁ ଅପହରଣ କରି ଗଉତମନଗର ନିକଟରେ ଏକ ଶିବମନ୍ଦିର ପାଖରେ ଥିବା କାର୍ ମଧ୍ୟରେ ଦୁଷ୍କର୍ମ କରିଥିଲେ।
ଏହି ଅଭିଯୋଗ ପରେ ପୀଡିତାଙ୍କ ପରିବାର ଟାଉନ ଥାନାରେ ଏତଲା ଦେଇଥିଲେ, ଯାହା ଆଧାରରେ କେସ ନମ୍ବର ୧୫୮/୨୫ ରେ ମାମଲା ରୁଜୁ ହୋଇଛି। ଘଟଣା ସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରାଯାଇଛି ଓ ଦୁଷ୍କର୍ମରେ ବ୍ୟବହୃତ କାର୍କୁ ଜବତ କରାଯାଇଛି।
ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଜଣାଇଛନ୍ତି ଯେ ଅଭିଯୁକ୍ତ ସୁଶିଳ ହରୀଜନଙ୍କୁ ଗିରଫ କରି ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ତାପରେ ତାଙ୍କୁ ଜୟପୁର କୋର୍ଟକୁ ଚାଲାଣ କରାଯାଇଛି। ଏସଆଇ ରଞ୍ଜିତ ମିଶ୍ର ଏହି ମାମଲାରେ ତଦନ୍ତ କାରୀ ଅଧିକାରୀ ଭାବେ ନିୟୁକ୍ତ ହୋଇଛନ୍ତି ବୋଲି ଜଣାପଡିଛି।