
ସେମିଳିଗୁଡା/କୋରାପୁଟ,୬/୮ ନନ୍ଦପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେମିଳିଗୁଡା-ନନ୍ଦପୁର ରାସ୍ତାର ଏକ ଚା’ ଦୋକାନ ନିକଟରେ ରାତି ୭ଟା ସମୟରେ ଏହି ଅଭିଯାନ ଚାଲିଥିଲା।
୨୦୧୯ ମସିହାରେ ଦିବଙ୍ଗତ ଶିକ୍ଷକ ରମେଶ ବେହେରାଙ୍କ ପରିବାରକୁ ଆରଏସିପି, ଏମଏସିପି ଓ ବର୍ଦ୍ଧିତ ଦରମା ଜନ୍ୟ ପ୍ରାପ୍ୟ ମିଳିନଥିଲା। କାମ କରାଇଦେବା ପାଇଁ କିରାଣି ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ମାମଲାରେ ଦିବଙ୍ଗତ ଶିକ୍ଷକଙ୍କ ପୁଅ ସନ୍ଦୀପ ବେହେରା ଭିଜିଲାନ୍ସକୁ ଅଭିଯୋଗ କରିଥିଲେ।
ଭିଜିଲାନ୍ସ ଯୋଜନାଅନୁଯାୟୀ ଟଙ୍କା ସହ ସନ୍ଦୀପ ବେହେରାଙ୍କୁ ପଠାଇ ଚଢ଼ଉ କରାଯାଇଥିଲା। ଟଙ୍କା ଜବତ ହେବା ପରେ କିରାଣିଙ୍କ ଭଡାଘରରେ ମଧ୍ୟ ତଦନ୍ତ ଚାଲିଛି। ମାମଲା ରୁଜୁ କରି ତାଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଯାଯାଇଛି।
ଏହି ଅଭିଯାନରେ ଭିଜିଲାନ୍ସ ଡିଏସ୍ପି ଅଭୟ ପ୍ରଧାନ, ଏସଏନ ପାଣି, ଇନ୍ସପେକ୍ଟର ସଞ୍ଜୟ ପ୍ରଧାନ ଓ ସନ୍ତୋଷୀ ବାରିକ ଭାଗନେଇଥିଲେ।