ଇନ୍ଦ୍ରାବତୀ ନଦୀରୁ ଏହି ମାଛ ଆବିଷ୍କାର କଲା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ l

Spread the love

ଇନ୍ଦ୍ରାବତୀ ନଦୀରୁ ଏହି ମାଛ ଆବିଷ୍କାର କଲା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଡିନ୍‌ ପ୍ରଫେସର ଶରତ କୁମାର ପଳିତାଙ୍କ ନେତୃତ୍ଵରେ କାର୍ଯ୍ୟରତ ଗବେଷକମାନେ ପ୍ରଥମଥର ପାଇଁ ଦକ୍ଷିଣ ଓଡ଼ିଶାର ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାସିର୍ ପ୍ରଜାତିର ମାଛ ସନ୍ଧାନ କରିବାରେ ସକ୍ଷମ ହୋଇଛନ୍ତି। ଏହି ଦୁଇଟି ନୂତନ ମହାସିର୍ ମାଛ ପ୍ରଜାତି ସାୟପ୍ରିନୟଡ ପରିବାର ଅନ୍ତର୍ଭୁକ୍ତ ତଥା ଏମାନେ ବଡ଼ ଶରୀର ବିଶିଷ୍ଟ ଓ ଏମାନଙ୍କର ଦେହର କାତି ଗୁଡ଼ିକ ବଡ଼। ସାଧାରଣତଃ ଏହି ମାଛମାନଙ୍କୁ ‘ଭାରତୀୟ ନଦୀର ରାଜା’ କୁହାଯାଏ ଏବଂ ଏମାନଙ୍କୁ ପୃଥିବୀର ୨୦ଟି ବୃହତ ମାଛ ପରିବାରରେ ଅନ୍ତର୍ଭୁକ୍ତ କରାଯାଇଛି। ଏମାନେ ସାଧାରଣ ଦ୍ରୁତବେଗରେ ପ୍ରବାହିତ, ଶୀତଳ, ସ୍ୱଚ୍ଛ, ପାହାଡ଼ିଆ ନଦୀର ପଥୁରିଆ ଓ କଙ୍କରଯୁକ୍ତ ଚଟାଣରେ ବାସ କରିଥାନ୍ତି। ଏହି ମହାସିର୍ ମାଛମାନଙ୍କୁ ମଧ୍ୟ ଏକ ‘ପବିତ୍ର ମାଛ ଭାବେ ଭାରତର ଅନେକ ହିନ୍ଦୁ ମନ୍ଦିରରେ ପୂଜା କରାଯାଇଥାଏ।ଅତୀତରେ ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ ଏବଂ ଶିମିଳିପାଳ ଅଞ୍ଚଳରୁ ମହାସିର୍ ମାଛ ପ୍ରଜାତି ଆବିଷ୍କୃତ ହୋଇଛି। ତେବେ ଦକ୍ଷିଣ ଓଡିଶାର କୌଣସି ନଦୀରୁ ଏହା ଆବିଷ୍କୃତ ହେବା ଏହା ପ୍ରଥମ। ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀ ଯଥା କୋଲାବ, ଇନ୍ଦ୍ରାବତୀ ଏବଂ ମାଛକୁଣ୍ଡ ଆଦି ଗୋଦାବରୀ ନଦୀ ଶୃଙ୍ଖଳାର ଏକ ଅଂଶ, ଏବଂ ଏହାର ପ୍ରମୁଖ ଉପନଦୀ ହୋଇଥିବାବେଳେ, ନାଗାବଳି ଏବଂ ବଂଶଧାରା ଓଡିଶାରୁ ବାହାରି ଆନ୍ଧ୍ରପ୍ରଦେଶରେ ବଙ୍ଗୋପସାଗରରେ ପଡ଼ିଛନ୍ତି। ପ୍ରଫେସର ପଳିତା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଯୋଗଦେବା ପରେ ପ୍ରାୟ ୬ ବର୍ଷ ପୂର୍ବେ ମହାସିର୍ ମାଛମାନଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ ଏବଂ ଏହି ମାଛ ଉପରେ ଗବେଷଣା ପାଇଁ ପି.ଏଚ.ଡି. ଗବେଶକ ଆଲୋକ କୁମାର ନାୟକଙ୍କୁ ନିୟୋଜିତ କରିଥିଲେ।ଗବେଷଣା ସମୟରେ ଏହି ମାଛଗୁଡ଼ିକ ଓଡ଼ିଶାର ନବରଙ୍ଗପୁରର ଖାତିଗୁଡା ବଜାର ବା ଇନ୍ଦ୍ରାବତୀ ବଜାରରୁ ପ୍ରଥମେ ଦେଖିବାକୁ ପାଇଥିଲେ। ପରେ ପରେ, ଏହି ମାଛକୁ କଳାହାଣ୍ଡିର ମୁଖିଗୁଡ଼ା ଠାରେ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଏବଂ ନବରଙ୍ଗପୁରର କାପୁର ଡ୍ୟାମରୁ ଆବିଷ୍କାର କରା ଯାଇଥିଲା। ଜୈବ ବିବିଧତା ବିଭାଗର ଲାବୋରେଟୋରୀରେ ପ୍ରଫେସର ପଳିତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ମାଛଗୁଡିକ ମହାସିର୍ ପ୍ରଜାତିର ମାଛ ବୋଲି ଚିହ୍ନଟ କରାଯାଇଥିଲା ଏବଂ ପରେ କୋଲକାତାସ୍ଥିତ ଜାତୀୟ ପ୍ରାଣୀ ବିଜ୍ଞାନ ସର୍ଭେକ୍ଷଣ ସଂସ୍ଥା (ZSI) ଦ୍ଵାରା ଏହା ଦୁଇଟି ମହାସିର୍ ପ୍ରଜାତିର ମାଛ ଭାବେ ଚିହ୍ନଟ କରାଯାଇଥିଲା – ଯଥା: ଟର ଟର୍ (Tor tor) ଏବଂ ଟର ପୁଟିଟୋରା (Tor putitora) |ପୂର୍ବରୁ ଶିମିଳିପାଳ, ମହାନଦୀ ଏବଂ ବ୍ରାହ୍ମଣୀ ନଦୀରୁ ଟର ଟର୍ ରେକର୍ଡ ହୋଇଥିବାବେଳେ ବର୍ତ୍ତମାନର ଆବିଷ୍କାର ଦକ୍ଷିଣ ଓଡ଼ିଶା ଦେଇ ପ୍ରବାହିତ ଆନ୍ତଃରାଜ୍ୟ ନଦୀ ଇନ୍ଦ୍ରାବତୀରୁ ଏକ ନୂତନ ରେକର୍ଡ ଅଟେ। ଏହି ପ୍ରଜାତି ତୁଳନାତ୍ମକ ଭାବରେ ଭାରତର ବିଭିନ୍ନ ଅଞ୍ଚଳରେ ପରିବ୍ୟାପ୍ତ। ଏହା ପଶ୍ଚିମରେ ଜାମ୍ମୁରୁ ପୂର୍ବରେ ବ୍ରହ୍ମପୁତ୍ର ଉପତ୍ୟକା ତଥା ଭାରତୀୟ ଉପଦ୍ୱୀପର ନଦୀମାନଙ୍କରେରେ ବିସ୍ତୃତ।ଗୋଲଡେନ୍ ମହାସିର୍ ଟର ପୁଟିଟୋରା ହିମାଳୟର ପାଦଦେଶରେ ଥିବା ବ୍ରହ୍ମପୁତ୍ର ଏବଂ ଗଙ୍ଗା ନଦୀ ଏବଂ ଉତ୍ତର ଭାରତର ମେଘାଳୟ ଏବଂ ମଣିପୁର ପର୍ଯ୍ୟନ୍ତ ବିସ୍ତୃତି ଲାଭ କରିଥିବାବେଳେ, ମଧ୍ୟ-ଭାରତର ନର୍ମଦା ନଦୀ ଏହାର ଦକ୍ଷିଣ ସୀମା ବୋଲି ବିବେଚନା କରାଯାଉଥିଲା। ମହାନଦୀରୁ ଟର ପୁଟିଟୋରା ଥିବା କଥା ଏବେ ଭୁଲ ପ୍ରମାଣିତ ହୋଇଛି, କାରଣ ମହାନଦୀ ମହାସିରକୁ ଏକ ନୂତନ ପ୍ରଜାତି ଟର ମହାନଦୀକସ (Tor mahanadicus) ଭାବେ ବୈଜ୍ଞାନିକ ସ୍ୱୀକୃତି ମିଳିଛି। ତେଣୁ ଇନ୍ଦ୍ରାବତୀ ନଦୀରୁ ଟର ପୁଟିଟୋରାରା ଆବିଷ୍କାର କେବଳ ଦକ୍ଷିଣ ଓଡିଶା ପାଇଁ ଏକ ନୂଆ ରେକର୍ଡ ନୁହେଁ, ବରଂ ଏହା ସମଗ୍ର ଭାରତର ଗୋଦାବରୀ ନଦୀ ଅବବାହିକା ପାଇଁ ଏକ ନୂଆ ରେକର୍ଡ। ଏହି ଅନୁସନ୍ଧାନମୂଳକ ତଥ୍ୟ ସମ୍ମାନଜନକ ଋସର୍ଚଜର୍ନାଲ୍ ‘ଏସିଆନ୍ ଜର୍ନାଲ୍ ଅଫ୍ କନ୍ସର୍ଭେସନ୍ ବାୟୋଲୋଜି’ରେ ପ୍ରକାଶ ପାଇଛି।ପୃଥିବୀର ମହାସିର୍ ମାଛଗୁଡିକ ତିନୋଟି ଜାତି (genera)ରେ ବିଭକ୍ତ: ଟର, ନିଓଲିସୋଚିଲସ୍ ଏବଂ ନାଜିରଟର୍।| ଟର ଜାତୀୟ ମାଛ ‘ପ୍ରକୃତ ମହାସିର୍’ ଭାବେ ସ୍ୱୀକୃତିପ୍ରାପ୍ତ। ଭାରତ, ଚୀନ୍, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମିଆଁମାର, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ପାକିସ୍ତାନ ଏବଂ ଆଫଗାନିସ୍ତାନ ଆଦି ଦେଶରେ ୧୭ଟି ଟର ପ୍ରଜାତି ଦେଖିବାକୁ ମିଳନ୍ତି। ଭାରତରେ ବର୍ତ୍ତମାନ ନଅ ପ୍ରଜାତିର ଟର ବାସ କରୁଛନ୍ତି। ସେଥିମଧ୍ୟରୁ ଓଡ଼ିଶାରେ ମହାସିର୍ ଚାରିଟି ପ୍ରଜାତି ଦେଖାଯାନ୍ତି: ଟର ଟର୍, ଟର ମହାନଦୀକସ, ଟର ପୁଟିଟୋରା ଏବଂ ଟର ଖୁଦ୍ରି। ସ୍ଥାନୀୟ ଭାବେ ନବରଙ୍ଗପୁରର ଖାତିଗୁଡା ଅଞ୍ଚଳରେ ଏହି ମାଛମାନଙ୍କୁ ‘କଇଁସାରୀ’ ବା “ଖାଇସର” ନାମରେ ଡକାଯାଏ, ମାତ୍ର ଏହି ଅଞ୍ଚଳର ବଙ୍ଗାଳୀ ଲୋକମାନେ ଏହାକୁ “ମହାସୋଲ” ବୋଲି ଡାକନ୍ତି। ‘ମହା-ସିର୍’ର ଶବ୍ଦର ଅର୍ଥ ହେଉଛି ‘ବଡ ମୁଣ୍ଡ’, ମାତ୍ର ଏହା ଭୁଲ୍ ପ୍ରମାଣିତ ହୋଇଛି ଏବଂ ‘ମହାସୋଲ୍’ ’ଅର୍ଥାତ୍ ‘ବଡ଼ କାତୀଯୁକ୍ତ’ ଶବ୍ଦ ଅଧିକ ଗ୍ରହଣୀୟ ହୋଇଛି

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *